ଟଙ୍କ ତୋରାଣି |
ଶ୍ରୀଜଗନ୍ନାଥଙ୍କ ର ପଖାଳ ଉପାଖ୍ୟାନ |
ଭାରତରେ ତଥା ଓଡ଼ିଶାରେ ପଖାଳ ଏକ ଲୋକପ୍ରିୟ ଖ୍ୟଦ୍ୟ | ଓଡିଶାରେ ପ୍ରାୟତଃ ସମସ୍ତ ଅଞ୍ଚଳରେ ପଖାଳଭାତ ଖାଇବାକୁ ଭଲପାଆନ୍ତି | ଅନ୍ନ ରନ୍ଧା ସରିଲା ପରେ ସେଥିରେ ପାଣି ମିଶାଇ ତୁରନ୍ତ ଖାଇଲେ ତାହାକୁ ଗରମ ପଖାଳ ବା ଚାଇଁ ପଖାଳ କୁହାଯାଏ || ମାତ୍ର ସର୍ବାଧିକ କ୍ଷେତ୍ରରେ ଅନ୍ନ ରେ ପାଣି ଭରଣା କରି ରଖିଦିଆଯାଏ ଓ ଗୋଟିଏ ଦିନ ପରେ ତାହାକୁ ଖିଆଯାଏ \ଏହାକୁ ବାସୀ ପଖାଳ କୁହାଯାଏ |
ବତୁରା ଯାଇଥିବା ମହାପ୍ରସାଦରେ ଦହି,ଟଭାପତ୍ର ,ଲେମ୍ବୁପତ୍ର ,ଲେମ୍ବୁ ,ଭୂର୍ସଙ୍ଗାପତ୍ର,ଗୋଲମରିଚ ,ଅଦା, ଲଙ୍କା, ଇତ୍ୟାଦି ର ମିଶ୍ରଣରେ ଶ୍ରୀମନ୍ଦିର ମଧ୍ୟରେ ଯେଉଁ ପ୍ରସାଦ ମିଳେ ତାହାକୁ ଟଙ୍କତୋରାଣି କୁହାଯାଏ | ପୂର୍ବେ ସ୍ନାନ ମଣ୍ଡପ ପାଖରେ ଭକ୍ତ ମାନଙ୍କୁ ବିନା ମୂଲ୍ୟରେ ଦିଆଯାଉଥିଲା | ଏବେ କିନ୍ତୁ ଏହା ବିକ୍ରି କରାଯାଉଛି | ଓଡ଼ିଆ ମଠ ଓ କବିର ମଠ ଏହାକୁ ବିନା ମୂଲ୍ୟରେ ପ୍ରଦାନ କରନ୍ତି | ଧନୀ ଠାରୁ ଗରିବ ପର୍ଯ୍ୟନ୍ତ ସମସ୍ତେ ପଖାଳ ଭାତ ଖାଇବାକୁ ଭଲ ପାଆନ୍ତି | ବିଶେଷ କରି ଗରିବ ତଥା ଦରିଦ୍ର ଲୋକମାନଙ୍କର ଅତିପ୍ରିୟ ଖାଦ୍ୟ ହେଉଛି ପଖାଳ ଓ ଶାଗଭଜା |ଭକ୍ତ ବିଦୁର ମହାପ୍ରଭୁଙ୍କୁ ସେଇ ପଖାଳ ଓ ଶାଗଭଜା ଦେଇ ତୋଷ କରାଇ ପାରିଥିଲା | ସେଥିପାଇଁ ଯଥାର୍ଥରେ କୁହାଯାଇଛି
" ଭକତ ବିଦୁର ଶାଗଭଜା ଦେଇ ତୋଷାଇ ପାରିଲା ମନ |
ମୁଁ ଯତେ ଦରବ ଯାଚିଲେ କାହିଁକି ନଁଛୁଅଁ ହେ ଭଗବାନ" |
ପଖାଳ ମଧ୍ୟ ମହାପ୍ରଭୁଙ୍କର ଅତିପ୍ରିୟ ଖାଦ୍ୟ | ପ୍ରତ୍ୟେକ ଧୂପରେ ସାମାନ୍ୟ ପଖାଳ ମହାପ୍ରଭୁଙ୍କ ପାଖରେ ଲାଗି କରାଯାଇଥାଏ | ମଧ୍ୟାହ୍ନ ଧୂପରେ ଏଗାର ଓଳି ସୁବାସ ପଖାଳ ଭୋଗ କରାଯାଇଥାଏ | ସନ୍ଧ୍ୟା ଧୂପରେ ଉଣେଇଶ ଓଳି ପଖାଳ ଭୋଗ କରାଯାଇଥାଏ |
ବଡସିଂହାର ବେଶରେ ଯେଉଁ ବ୍ୟଞ୍ଜନ ପରିବେଷଣ କରାଯାଏ ତନ୍ମଧ୍ୟରେ ଏଗାର ଓଳି ମିଠା ପଖାଳ ଓ ଘିଅ ପଖାଳ ମଧ୍ୟ ଭୋଗରେ ରହେ | ପଖାଳର ଚାହିଦା ଓ ପ୍ରସିଦ୍ଧି ଏତେ ବଢ଼ିଗଲାଣି ଯେ ଏବେ ପଞ୍ଚତାରକା ହୋଟେଲ ରେ ମଧ୍ୟ ପଖାଳ ଏକ ଉତ୍ତମ ବ୍ୟଞ୍ଜନ ରୂପେ ପରିଗଣିତ ହେଲାଣି | ଏବେ ଏହି ବ୍ୟଞ୍ଜନ ମଧ୍ୟ ବିଶ୍ୱର ବିଭିନ୍ନ ଦେଶରେ ପ୍ରସିଦ୍ଧି ଲାଭ କଲାଣି | ପଖାଳ ଭାତ ମଧ୍ୟ ସ୍ୱାସ୍ଥ୍ୟ ଗତ ଦୃଷ୍ଟିରୁ ଲାଭପ୍ରଦ ଅଟେ |
ତେବେ ମହାପ୍ରଭୁଙ୍କ ପାଖରେ ଯେଉଁ ପଖାଳ ପୂଜା କରାଯାଏ ତାହାର ସ୍ୱତନ୍ତ୍ର ମାନ୍ୟତା ରହିଛି | ତନ୍ମଧ୍ୟରୁ କେତୋଟି ପଖାଳର ବର୍ଣ୍ଣନା ଏଠାରେ ପ୍ରତିପାଦନ କରାଗଲା |
ସୁବାସ ପଖାଳ -- ଏହି ପଖାଳରେ କଟା ଅଦା , ଭଜାଜିରା , ମିଶାଯାଇ ସୁବାସିତ କରାଯାଏ |ଏହା ଏକ ସୁଙ୍ଗନ୍ଧିତ ଅନ୍ନ ପଖାଳ ହୋଇଥିବାରୁ ପାରମ୍ପରିକ ଭାବରେ ଏହାକୁ ସୁବାସ ପଖାଳ କୁହାଯାଏ |
ଚିପୁଡା ପଖାଳ -- ରନ୍ଧାଯାଇଥିବା ଅନ୍ନକୁ ପାଣି ମିଶାଯାଇ କିଛି ସମୟ ରଖାଯାଇଥାଏ ଓ ପରେ ଉକ୍ତ ଅନ୍ନକୁ ଚିପୁଡା ଯାଇ ବାହାର କରିଦିଆଯାଏ | ପରେ ଏଥିରେ ଭଜାଜିରା ,ଲୁଣ ,ଦହି ,କୁ ମିଶାଇ ପ୍ରସାଦ ଭାବେ ମାଟି ପାତ୍ରରେ ମହାପ୍ରଭୁଙ୍କୁ ଲାଗି କରାଯାଏ |
ପାଣି ପଖାଳ -- ରନ୍ଧାଯାଇଥିବା ଅନ୍ନରେ କେବଳ ପାଣି ଓ ଲୁଣ ମିଶାଯାଇ ପ୍ରସ୍ତୁତ କରାଯାଇଥାଏ | ଏଥିରେ ଅନ୍ୟ କୌଣସି ଦ୍ରବ୍ୟ ମିଶାଯାଏ ନାହିଁ |
ଦହି ପଖାଳ --ରନ୍ଧାଯାଇଥିବା ଖାଦ୍ୟରେ ପାଣି ବଦଳରେ କେବଳ ଦହିରେ ପଖାଳ କରାଯାଏ | ଏଥିରେ ଦହିର ମାତ୍ରା ଅଧିକ ଥାଏ |ଏହି ପଖାଳରେ ଦହି ବ୍ୟତୀତ ଭଜାଜିରା ଓ ଅଦା ପକାଇ ପ୍ରସ୍ତୁତ କରାଯାଏ |
ମିଠା ପଖାଳ-- ଅନ୍ନରେ ଚିନି ଅଥବା ଗୁଡ ଏବଂ ଭଜାଜିରା,ଲୁଣ,ଅଦାଖଣ୍ଡ ପକାଯାଇ ପ୍ରସ୍ତୁତ କରାଯାଇଥାଏ|
ମଲ୍ଲୀଫୁଲ ପଖାଳ--ଏହି ପଖାଳ ଦହି ପଖାଳ ପରି ପ୍ରସ୍ତୁତ କରାଯାଏ ମାତ୍ର ପଖାଳକୁ ସୁବାସିତ କରିବାପାଇଁ ଏଥିରେ ମଲ୍ଲୀଫୁଲ ପକାଇଦିଆଯାଏ |
ଟଭା ପଖାଳ --ସାଦା ଅନ୍ନରେ ଟଭା ମିଶ୍ରିତ ଜଳ ଦେଇ ପଖାଳ କରାଯାଏ ଏବଂ ମହାପ୍ରଭୁ ଙ୍କୁ ଲାଗି କରାଯାଏ .
ଘିଅ ପଖାଳ--ସାଦା ଅନ୍ନରେ ପାଣି ମିଶାଇ ପଖାଳ କରାଯାଏ | ଏଥିରେ ଲୁଣ, ଅଦା, ଭଜାଜିରା, କଳାଜିରା,ଦହି, ଇତ୍ୟାଦି ମିଶାଇ ସୁବାସିତ କରାଯାଇଥାଏ ଓ ଶେଷକୁ ଘିଅ ପକାଇ ଦିଆଯାଏ ଓ ମହାପ୍ରଭୁମାନଙ୍କୁ ଲାଗି କରାଯାଏ |ଏହି ଘିଅ ପଖାଳର ବିଶେଷତ୍ୱ ଏହିକି ଯେ ଏହା ହେଉଛି ଦିନମାନଙ୍କ ମଧ୍ୟରେ ଶେଷ ଭୋଗ | ଠିକ ପହୁଡ଼ ସମୟରେ ଏହି ପଖାଳ ସହିତ କଦଳୀ ଭଜା ଭୋଗ ଲାଗିଲା ପରେ ମହାପ୍ରଭୁ ମାନଙ୍କର ପହୁଡ଼ ପଡିଥାଏ |
ପଖାଳ ହେଉଛି ଓଡିଶାର ପ୍ରିୟ ଖାଦ୍ୟ | ଓଡ଼ିଆ ମାନେ ଯାହା ଖାଇବାକୁ ଭଲପାଆନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେ ସବୁକୁ ନିଜର ଦୈନନ୍ଦିନ ଛପନ ଭୋଗରେ ଅନ୍ତର୍ଭୁକ୍ତ କରାଇ ଅଛନ୍ତି|ଦୀନ ଦରିଦ୍ର ଙ୍କ ଠାରୁ କୋଟିପତି ପର୍ଯ୍ୟନ୍ତ ସମସ୍ତେ ପଖାଳ ଖାଇ ଆତ୍ମବିଭୋର ହୋଇ ଉଠନ୍ତି |ଓଡ଼ିଶାରେ ପଖାଳ ଭାତ ସହିତ ଶାଗଭଜା ବଡିଚୁରା ,ସୋରିଷ ଫୁଟାଇନଥିବା ଡାଲି ,ଭଜା, ଚଟଣି, ଦହି ଇତ୍ୟାଦି ସହିତ ମିଶାଇ ଖିଆଯାଏ
ବିଶେଷଜ୍ଞ ମାନଙ୍କ ମତରେ ପଖାଳ ଭାତ ରେ ପ୍ରୋବାଓଟିକ ଜୀବାଣୁ ଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ ଏବଂ ତରଳ ଝାଡ଼ା ହେଉଥିବା ସମୟରେ ବାସୀ ପଖାଳ ଖାଇଲେ ତାହା ସାଙ୍ଗେସାଙ୍ଗେ ଭଲ ହୋଇଯାଏ ଏବଂ ଦେହକୁ ଜଳୀୟ ଅଂଶ ଯୋଗାଇଥାଏ | କବିଚନ୍ଦ୍ର କାଳିଚରଣ ପଟ୍ଟନାୟକଙ୍କର ଗୀତ କବିତା "ଆସ ଜୀବନଧନ ମୋର ପଖାଳ କଂସା" ସୁଗାୟକ ବାଳକୃଷ୍ଣ ଦାସଙ୍କ କଣ୍ଠରେ ଓଡ଼ିଆ ମାନଙ୍କ ଦ୍ୱାରା ବହୁଳ ଭାବରେ ଆଦୃତ |
(ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର | ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପୁରୀ|କୌଣସି ପ୍ରଶ୍ନର ଉତ୍ତର ପାଇଁ ଯୋଗାଯୋଗ କରନ୍ତୁ email --pkmspp1975@gmail.com |ମୁକ୍ତି ମଣ୍ଡପ ରେ କୌଣସି ବ୍ୟକ୍ତିଙ୍କର ପୂର୍ବପୁରୁଷ ମାନଙ୍କୁ ଉକ୍ତ ବ୍ୟକ୍ତିଙ୍କ ତରଫରୁ ଶ୍ରାଦ୍ଧ ଦିଆଯାଇଥାଏ |ଆଗ୍ରହ ଥିବା ବ୍ୟକ୍ତି ଉପୋରକ୍ତ email ରେ ଯୋଗାଯୋଗ କରନ୍ତୁ|ନଚେତ ଆମଙ୍କୁ ମୋବାଇଲ ନମ୍ବର ଦେଇପାରନ୍ତି ଅଥବା comment ରେ ଲେଖି ପାରନ୍ତି |)
No comments:
Post a Comment