Sunday, October 1, 2023

JAGANNATH MANDIRA MADHYARE BYATIKRAMA.

                                                 ଜଗନ୍ନାଥ ମନ୍ଦିର ମଧ୍ୟରେ ବ୍ୟତିକ୍ରମ 

ORIGINAL
ଶ୍ରୀ ଜଗନ୍ନାଥ 

                            ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର |ସେ କେତେବେଳେ ସାକାର ତା କେତେବେଳେ ନିରାକାର | କୌଣସି ପରିସୀମା ମଧ୍ୟରେ ସେ ଆବଦ୍ଧ ହୋଇ ରହିନାହାନ୍ତି | ସେ ହେଉଛନ୍ତି ସମସ୍ତଙ୍କର ଆଖି ତଥା ଭାବର ଠାକୁର | ଭକ୍ତଙ୍କ ସହିତ ଭାବର ଲୀଳାଖେଳା କରି ସେ ନୀଳସିନ୍ଧୁତୀରେ ନିଳାଚଳରେ ବିରାଜିତ |  ଭକ୍ତଙ୍କର ପୁର୍ଣ ଆଶା ଭରସାର ପ୍ରଭୁ ପଣରେ ସେ ଅଦ୍ଵିତୀୟ ,କାରଣ ତାଙ୍କ ମନ୍ଦିରର ନୀଳଚକ୍ର ବାନା ହିଁ ଭକ୍ତଙ୍କୁ ଉଦ୍ଧାର କରିବା ପାଇଁ ଫରଫର ହୋଇ ଉଡୁଥାଏ | ସତରେ ସେ ଏକ ରହସ୍ୟମୟ ଠାକୁର |ତାଙ୍କର ରହସ୍ୟ ଓ ଲୀଳାକୁ ବୁଝିବା ମନୁଷ୍ୟ ପକ୍ଷ୍ୟରେ ସମ୍ଭବ ନୁହେଁ | ଯିଏ ବାଉନ କୋଟି ଭଣ୍ଡାରର ମାଲିକ ଯାହାର ଭଣ୍ଡାର ସ୍ଵର୍ଣ ଓ ରତ୍ନ ରେ ପରିପୂର୍ଣ ସିଏ ପୁଣି ମାଟି ପାତ୍ରରେ ଭକ୍ଷଣ କରେ ଏପରି ଭାବିଲେ  ଟିକିଏ   ଅଡୁଆ ଲାଗେ | ମାତ୍ର ଏହା ହେଉଛି ଶ୍ରୀମନ୍ଦିର ମଧ୍ୟରେ ଏକ ବ୍ୟତିକ୍ରମ ଯାହାକି ପୁରାତନ କାଳରୁ ପ୍ରଚଳିତ ଅଛି | ଏହିପରି ଅନେକ ଗୁଡିଏ ବ୍ୟତିକ୍ରମ ଶ୍ରୀମନ୍ଦିର ମଧ୍ୟରେ ଅଛି ଯାହାକି ଜାଣିଲାପରେ ଆଶ୍ଚଯ୍ୟ ଲାଗେ  | ତନ୍ମଧ୍ୟରୁ କେତୋଟି ଭକ୍ତ  ମାନଙ୍କର ଅବଗତି ନିମନ୍ତେ ନିମ୍ନରେ ଦିଆଯାଇଛି |

1--ଦେବତା ଓ ଦେବୀ ମାନଙ୍କର ଗଠନ ବିଧି ଅନୁସାରେ ନଗ୍ନ ,ଭଗ୍ନ ନପୂଜୟତେ | ମାତ୍ର ଶ୍ରୀମନ୍ଦିରରେ ନଗ୍ନ ,ଭଗ୍ନ ପ୍ରପୂଜୟତେ ଅର୍ଥାତ ନଗ୍ନ ଓ ଭଗ୍ନ କୁ ପୂଜାକରାଯାଏ | ଯେପରିକି ଚତୁର୍ଦ୍ଧାମୂର୍ତି ଅଧା ଗଢା ଠାକୁର ସେଠାରେ ପୂଜାପାଉଛନ୍ତି|

2--ସବୁ ମୂର୍ତି ମାନଙ୍କର ଆଖିର ପଲକ ଥାଏ ମାତ୍ର ଚତୁର୍ଦ୍ଧା ମୂର୍ତି ମାନଙ୍କରେ ପଲକ ନଥାଏ | ତଥାପି ଶ୍ରୀ ଜଗନ୍ନାଥ ହେଉଛନ୍ତି ସର୍ବଦ୍ରଷ୍ଟା | ଅପଲକ ନୟନରେ ସେ ଏହି ମହାଜାଗତିକ ସଂସାରକୁ ଦେଖୁଥାନ୍ତି | ସେ ପଲକ ପକାଇ ଦେଲେ ଏହି ସଂସାର ଭାସିଯିବ ତଥା ପ୍ରଳୟ ହୋଇଯିବ |

3--ଅନ୍ୟ କୌଣସି ମନ୍ଦିରରେ ପ୍ରତିଦିନ ପତାକା ବନ୍ଧା ହେଉନଥିବା ବେଳେ ଶ୍ରୀମନ୍ଦିରରେ ପ୍ରତିଦିନ ନୂଆ ପତାକା ବନ୍ଧା ଯାଇଥାଏ |

4--ମନ୍ଦିର ମାନଙ୍କରେ ପୂଜା ସମୟରେ ଘଣ୍ଟ,ଘଣ୍ଟା ,ଘଣ୍ଟି କାହାଳି ମୃଦଙ୍ଗ ବାଜୁଥିଲା ବେଳେ ଶ୍ରୀମନ୍ଦିରରେ ପୂଜା ଆରତୀ ସମୟରେ କୌଣସି ବାଦ୍ୟ ବା ନାଦ କରାଯାଏ ନାହିଁ |

5-- ସବୁ ଜାଗାରେ ଦେବ ଅଥବା  ଦେବୀଙ୍କୁ ଗଣ୍ଠିପକା ଫୁଲମାଳ ପିନ୍ଧାଇ ଦିଆଯାଏ ମାତ୍ର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କର ଶ୍ରୀବିଗ୍ରହରେ ଗଣ୍ଠିପକା ଫୁଲମାଳ ଦିଆଯାଏ ନାହିଁ | ସେ କୌଣସି ବନ୍ଧନରେ ଆବଦ୍ଧ ହୋଇପାରିବେ ନାହିଁ |

6--ଅନ୍ୟ ମନ୍ଦିରର ଭୋଗ ପ୍ରସାଦ କୁ ଅନ୍ନ ପ୍ରସାଦ କୁହାଯାଉ ଥିଲାବେଳେ ଶ୍ରୀମନ୍ଦିରରେ ଅନ୍ନ ପ୍ରାସାଦକୁ ଶ୍ରୀ ମହାପ୍ରସାଦ କୁହାଯାଏ |

7--ଶ୍ରୀ ଜଗନ୍ନାଥ ହେଉଛନ୍ତି ପୁରୁଷ ସ୍ୱରୂପ ମାତ୍ର ତାଙ୍କର ବେଶଭୂଷା ସବୁ ସ୍ତ୍ରୀ ଲୋକପରି ହୋଇଥାଏ | ଯେପରିକି ସେ ନାକଚଣା ,ନାକୁଆସି ,ଗୁଣା ,ଅଳକା ,କେୟୁର କୁଣ୍ଡଳୀ ତଥା ଶାଢ଼ୀ ପରିଧାନ କରିଛନ୍ତି |

8--ବିଧି ଅନୁସାରେ ନଗ୍ନ କିମ୍ଭା ଭଗ୍ନ ନହେଲା ପର୍ୟ୍ଯନ୍ତ କୌଣସି ଠାକୁରଙ୍କର ନବକଳେବର ହୁଏ ନାହିଁ | ମାତ୍ର ଶ୍ରୀ ଜଗନ୍ନାଥ ,ଶ୍ରୀ ବଳଭଦ୍ର ,ଶ୍ରୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନଙ୍କର 8ବର୍ଷ କିମ୍ଭା 12ବର୍ଷ କିମ୍ଭା 19ବର୍ଷ ରେ ଯେଉଁ ବର୍ଷ ଯୋଡ଼ା ଆଷାଢ଼ ହୋଇଥାଏ ସେହି ବର୍ଷ ମହାପ୍ରଭୁ ମାନଙ୍କର ନବକଳେବର ହୋଇଥାଏ | ଅର୍ଥାତ ପୁରାତନ ବିଗ୍ରହ ମାନଙ୍କୁ ସମାଧିସ୍ଥ କରାଯାଇ ନୂତନ ବିଗ୍ରହ ମାନଙ୍କୁ ନିମ୍ବ କାଷ୍ଠ ରେ ନିର୍ମାଣ  କରାଯାଇ  ସ୍ଥାପନା କରାଯାଏ |

9--ଶ୍ରୀ ମନ୍ଦିରରେ କୌଣସି  ଦେବକାର୍ଯ୍ୟ  ଜଗନ୍ନାଥଙ୍କର ବିନା ଆଜ୍ଞାମାଳରେ ଅନୁଷ୍ଠିତ ହୁଏ  ନାହିଁ |ଯାହାକି ଅନ୍ୟ ମନ୍ଦିର ମାନଙ୍କରେ ଦେଖାଯାଏ ନାହିଁ |

10--ବିଧି ଅନୁସାରେ ଶ୍ରୀ ବିଗ୍ରହ ମାନଙ୍କର ପୂଜାର୍ଚନା ଚାଲୁଥିଲା ବେଳେ ମନ୍ଦିର ଚୂଡ଼ାକୁ କୌଣସି ବ୍ୟକ୍ତି ଯିବାକୁ ମନ \ମାତ୍ର ଶ୍ରୀ ମନ୍ଦିରରେ ମଧ୍ୟରେ ବଡ଼ପଣ୍ଡା ମାନେ ଶ୍ରୀ ବିଗ୍ରହ ମାନଙ୍କର ପୂଜାର୍ଚନା କରୁଥିଲାବେଳେ ଚୁନରା ସେବକ ମାନେ ଧ୍ବଜା ବାନ୍ଧିବା ପାଇଁ ଶ୍ରୀ ମନ୍ଦିର ଚୂଡ଼ାକୁ ଯାଇଥାନ୍ତି |

11--କୌଣସି ମନ୍ଦିରରେ ଥିବା ନବଗ୍ରହ ମାନଙ୍କୁ ଲକ୍ଷ୍ୟ କଲେ ଜଣାଯିବ ଯେ , ନବଗ୍ରହ ମାନଙ୍କର ଆରମ୍ଭ ରବି ମହାଗ୍ରହ ଙ୍କ ଠାରୁ ହୋଇ କେତୁ ମହାଗ୍ରହ ଙ୍କ ଠାରେ ଶେଷ ହୋଇଥାଏ ମାତ୍ର ଏଠାରେ ତାହାର ଓଲଟା ନବଗ୍ରହ ମୂର୍ତି ସ୍ଥାପନ କରାଯାଇଛି | ଯାହାକି କେତୁଙ୍କ ଠାରୁ ଆରମ୍ଭ ହୋଇ ରବି ମହାଗ୍ରହ ଙ୍କ ଠାରେ ଶେଷ ହୋଇଛି |

12--ଅନ୍ୟ ମନ୍ଦିର ମାନଙ୍କରେ ଦେବା ଦେବୀ ଙ୍କର ସ୍ନାନ କାର୍ଯ୍ୟ ମୂର୍ତି ଉପରେ ପାଣି ଧଳା ହୋଇ କରାଯାଉ ଥିଲାବେଳେ ଶ୍ରୀ ମନ୍ଦିରରେ କିନ୍ତୁ ଏକ  ଦର୍ପଣ ଉପରେ ପାଣି ଢଳାଯାଇ କରାଯାଇଥାଏ |କେବେଳ ସ୍ନାନ ପୂର୍ଣିମାରେ ମହାପ୍ରଭୁ ମାନଙ୍କର ମହାସ୍ନାନ ସ୍ନାନ ମଣ୍ଡପରେ କରାଯାଇଥାଏ |

13--ଅନ୍ୟ ମନ୍ଦିର ମାନଙ୍କରେ ଶ୍ରୀ ବିଗ୍ରହ ମାନଙ୍କୁ ପ୍ରସାଦ ଅର୍ପଣ ସମୟରେ ରନ୍ଧନ କରାଯାଇଥିବା ପାତ୍ର ମଧ୍ୟରୁ ଅଣାଯାଇ ଧାତୁ ପାତ୍ରର ଥାଳି , ଥାଳିଆ ,ଗିନା ଇତ୍ୟାଦି ମାନଙ୍କରେ ବଢାଯାଇ ଭୋଗ ଲଗାଯାଇଥାଏ ବା ଅର୍ପଣ କରାଯାଇଥାଏ  | ମାତ୍ର ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ ଅର୍ଥାତ ରନ୍ଧନ କରାଯାଇଥିବା ପତ୍ରକୁ ସିଧାସଳଖ ଶ୍ରୀ ବିଗ୍ରହ ମାନଙ୍କ ସମୁଖରେ ସ୍ଥାପନ କରାଯାଇ ନୈବେଦ୍ୟ ଅର୍ପଣ କରାଯାଏ |ଅର୍ଥାତ ଏହାକୁ ଅନ୍ୟ କୌଣସି ପାତ୍ରରେ ବଢାଯାଇ ଅର୍ପଣ କରାଯାଏ ନାହିଁ|

14--ଅନ୍ୟ ମନ୍ଦିର ମାନଙ୍କରେ ଦମ୍ପତି ବିଗ୍ରହ ପୂଜା ପାଉଥିଲାବେଳେ ଏଠାରେ ତିନିଜଣ ଭାଇଭଉଣୀଙ୍କର ବିଗ୍ରହ ପୂଜା ପାଉଛନ୍ତି |

15--ଅନ୍ୟ ଦେବାଦେବୀ ଙ୍କର ମନ୍ଦିରରେ ହସ୍ତଯୋଡି ଗୁହାରି ଜଣାଉ ଥିଲାବେଳେ ଏଠାରେ ହସ୍ତ ଦ୍ବୟଙ୍କୁ ଖୋଲି ପ୍ରସାରଣ କରି ମହାପ୍ରଭୁଙ୍କୁ ଗୁହାରି ଜଣାଇ ଦିଆଯାଏ |ବିଶେଷ କରି ରଥଯାତ୍ରା ସମୟରେ ଏହା ମୁଖ୍ୟତଃ କରାଯାଇଥାଏ |

16--ସବୁଠାରେ କେବଳ ବ୍ରାହ୍ମଣ ମାନଙ୍କ ଦ୍ୱାରା ପାଣି ଅଣାଯାଇ ପୂଜା କରାଯାଇଥାଏ | ଏଠାରେ କିନ୍ତୁ ଶୁଦ୍ର ସେବକ ପାଣି ଆଣି ଯୋଗାଇଲେ ବ୍ରାହ୍ମଣ ସେବକ ପୂଜା କରିଥାଏ |    

17--ସବୁଠାରେ କଂସା ,ପିତଳ ତଥା ତମ୍ବା ପାତ୍ରରେ ରନ୍ଧନ ହେଉଥିଲାବେଳେ ଏଠାରେ କିନ୍ତୁ ମାଟି କୁଡୁଆରେ ରନ୍ଧନ କରାଯାଇଥାଏ | ଏବଂ ପ୍ରତିଦିନ ନୂତନ ମାଟି କୁଡୁଆ ର ବ୍ୟବସ୍ଥା କରାଯାଇଥାଏ |ବିଗତ ଦିନର ପୁରାତନ ମାଟି କୁଡୁଆ ବହିଷ୍କାର କରାଯାଇଥାଏ |

18--ଏଠାରେ ମହାପ୍ରସାଦ କୁ ସେବନ କଲାବେଳେ ଜାତି ଓ ଅଜାତିର ଭେଦଭାବ ନଥାଏ | ସମସ୍ତେ ଏକତ୍ର ହୋଇ ଆଚାଣ୍ଡାଳ ବ୍ରାହ୍ମଣ ଗୋଟିଏ ପାତ୍ରରୁ ମହାପ୍ରସାଦ ସେବନ କରିପାରିବେ ଓ ପରସ୍ପର ର ଅଇଁଠା ମଧ୍ୟ୍ୟ ଖାଇ ପାରିବେ |

19--ମହାପ୍ରସାଦ କୁ ସେବନ କଲାବେଳେ କୌଣସି ଆସନ ଉପରେ ବସି ସେବନ କରାଯାଏ ନାହିଁ |ଖୋଲା ଚଟାଣ ଉପରେ ବସି ସେବନ କରାଯାଏ | ସେବନ ପରେ କୁଳୁକୁଞ୍ଚା କରି ତାହାକୁ ନ ଫୋପାଡ଼ି  ଢ଼ୋକି ଦିଆଯାଏ |

20--କୌଣସି ବ୍ୟକ୍ତି ଙ୍କ ସହ ବନ୍ଧୁତା ସ୍ଥାପନ ବେଳେ ମହାପ୍ରସାଦ କୁ ପରସ୍ପର ର ହାତରେ ସମର୍ପଣ କରି ବନ୍ଧୁତ୍ୱ ସ୍ଥାପନ କରାଯାଇଥାଏ | ଯାହାକି ଅନ୍ୟ ଦେବଦେବୀ ଙ୍କର ପ୍ରସାଦକୁ ଏପରି କରାଯାଏ ନାହିଁ |

21--ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଓ ଶୁକ୍ଲପକ୍ଷ ଏକାଦଶୀ ତିଥିରେ ସନ୍ଧ୍ୟା ଧୂପ ସରିବା ପରେ ବଡ଼ଦେଉଳ ଉପରେ ଅଁଳାବେଢାରେ ପୂର୍ବଦିଗକୁ ମୁଁହ କରି ଚୁନରା ସେବକ ମହାଦୀପ  ଜଳାଇଥାଏ | ଯାହାକି ଗଜପତି ମହାରାଜା ,ପ୍ରଦେଶ,ରାଷ୍ଟ୍ର ଓ ଜନ  ସମୁଦାୟ ର ମଙ୍ଗଳ କାମନା କରି ଏହା କରାଯାଇଥାଏ |

22--ଶ୍ରୀ ମନ୍ଦିରରେ ପତାକା ସଦାସର୍ବଦା ପବନର ବିପରୀତ ଦିଗରେ ଉଡୁଥାଏ | ଏଥିରୁ ପ୍ରତୀତ ହୁଏକି ବିଜ୍ଞାନରୁ ଉର୍ଦ୍ଧରେ କୌଣସି ଗୋଟିଏ ଶକ୍ତି ନିଶ୍ଚୟ ରହିଛି |

23--ମହାପ୍ରସାଦ କୁ ଛୁଅଁ ଅଛୁଆଁ ଭେଦଭାବ ରୁ ଉର୍ଦ୍ଧରେ ରଖି ଯେ କୌଣସି ପ୍ରାଣୀ ଏହାକୁ ସେବନ କରିପାରିବ | ଏପରିକି ମହିଳା ମାନଙ୍କର ଗୃହବାସ ସମୟରେ ମଧ୍ୟ ସେବନ କରାଯାଇ ପାରିବ | ଏଥିରେ ମହାପ୍ରସାଦ ର କୌଣସି ଅପମାନ ହେବନାହିଁ  |     

24--ଅନ୍ୟ ସମସ୍ତ ମନ୍ଦିରରେ ହସ୍ତ ,ପାଦ, ନାସା ଇତ୍ୟାଦି ଯୁକ୍ତ ହୋଇ ବିଗ୍ରହ ଥିଲାବେଳେ ଶ୍ରୀ ମନ୍ଦିରରେ ବିଗ୍ରହ ଗୁଡିକ ଏ ସବୁର ବିହୀନ ଦେଖାଯାଏ |

25--ସବୁ ଜାଗାରେ ଚାଉଳରୁ ଭାତ ରନ୍ଧା ଯାଉଥିଲା ବେଳେ ଶ୍ରୀ ମନ୍ଦିରରେ ଭାତରୁ ଚାଉଳ କରି ଘରେ ରଖାଯାଏ |ଅର୍ଥାତ ଅବଢ଼ା ଅନ୍ନକୁ ଖରାରେ ଶୁଖାଯାଇ ନିର୍ମାଲ୍ୟ ଭାବରେ ରଖାଯାଏ | ଅଇଁଠା ବା ବଳକା ହୋଇଥିବା ଅନ୍ନକୁ ଫିଙ୍ଗାଯାଉଥିବା ବେଳେ ଅବଢ଼ା ଅନ୍ନକୁ କିନ୍ତୁ ବିସର୍ଜନ  କରାଯାଏ |

26--ମହାପ୍ରଭୁ ମାନଙ୍କର ହାତଗୋଡ ନାହିଁ ମାତ୍ର ତାହାକୁ ପୂର୍ଣ୍ଣବ୍ରହ୍ମ ବୋଲି କୁହାଯାଏ | ବଡଭାଇ ବଳଭଦ୍ର ଦେବ ଥିଲେ ମଧ୍ୟ ସାନ ଭାଇକୁ ବଡ଼ଠାକୁର ବୋଲି କୁହାଯାଏ | ମାଡ ଦେଉଥିବା ଲୋକକୁ ଏଠାରେ ଦଣ୍ଡ ମିଳେ ନାହିଁ ଅଧିକନ୍ତୁ ମାଡଖାଇ ଲୋକ ଏଠାରେ ପାଉଣା ଦିଏ | ମହାପ୍ରଭୁ ଙ୍କର କାନ ନାହିଁ ମାତ୍ର ଗୀତଗୋବିନ୍ଦ କୁ ଶୁଣିଥାନ୍ତି ଏବଂ ଆଖିରେ ପଲକ ନାହିଁ କିନ୍ତୁ ପହୁଡ଼ ଯାଇଥାନ୍ତି | ମହଣ ମହଣ ସୁନା ରୂପା ଥାଇ ମଧ୍ୟ ଦରପୋଡା ମାଟି ହାଣ୍ଡିରେ ଭୁଞ୍ଜିଥାଇ |

(ସଂଗ୍ରାହକ ଓ ଲେଖକ ପ୍ରକାଶ ମିଶ୍ର | ଜ୍ୟୋତିଷ ଓ ସଭ୍ୟ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀମନ୍ଦିର ପୁରୀ, ଓଡିଶା | କୌଣସି ପ୍ରଶ୍ନର ସମାଧାନ ପାଇଁ ଯୋଗାଯୋଗ କରନ୍ତୁ email --pkmspp1975@gmail.com .)   

   

No comments:

Post a Comment

SRIJAGANNATH BHAKTA [2]--KULASEKHARA

                                                         ଶ୍ରୀ ଜଗନ୍ନାଥ ଙ୍କର ଭକ୍ତ କୁଳଶେଖର   ଶ୍ରୀଜଗନ୍ନାଥ                            ଅଷ୍ଟାଦଶ ଶତା...